ପୁରୀଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ୨ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଦେଶବ୍ୟାପୀ ଆୟୋଜିତ ହେଉଛି। ପୁରୀ ବେଳାଭୂମିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଘରେ ଘରେ ତ୍ରିରଙ୍ଗା ବାର୍ତ୍ତା ଉପରେ ଆଧାରିତ ଏକ ଚିତ୍ତାକର୍ଷକ ବାଲୁକା କଳାକୃତି ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ  ତ୍ରିରଙ୍ଗାକୁ ସମ୍ମାନ ଦେବା ଏବଂ ଏକତା ଓ ଦେଶପ୍ରେମର ନୂତନ ଭାବନାକୁ ପ୍ରସାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଆହ୍ୱାନ ପ୍ରତିଫଳିତ ହୋଇଛି।

ଭାରତୀୟ ଜାତୀୟ ପତାକା ଓ ଜାତୀୟ ଗର୍ବର ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଚିତ୍ରଣ କରୁଥିବା ଏହି ବାଲୁକା କଳା ନାଗରିକମାନଙ୍କୁ ସେମାନଙ୍କ ଘରେ ତିରଙ୍ଗା ଉତ୍ତୋଳନ କରିବା ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ପୂର୍ଣ୍ଣପ୍ରାଣରେ ଅଂଶଗ୍ରହଣ କରିବାକୁ ବାର୍ତ୍ତା ଦେଉଛି। ନିଜର କଳାକୃତି ମାଧ୍ୟମରେ ଶ୍ରୀ ପଟ୍ଟନାୟକ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ଏବଂ ଏକ ସାର୍ବଭୌମ ରାଷ୍ଟ୍ରର ସଫଳତାକୁ ପାଳନ କରିବାରେ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି।